କାୟା ମେଲାଉଛି ଡେଙ୍ଗୁ: ନ ଜଗିଲେ ଅସମ୍ଭାଳ ହେବ ପରିସ୍ଥିତି

ଭୁବନେଶ୍ୱର :- ଭୁବନେଶ୍ବର ମହାନଗର ନିଗମରେ ଡେଙ୍ଗୁ ରୋଗ କାୟା ମେଲାଇଲାଣି। ଚଳିତବର୍ଷ ଜାନୁଆରିରୁ ଜୁଲାଇ ୨୬ ସୁଦ୍ଧା ୧୭୬ଜଣ ଡେଙ୍ଗୁ ରୋଗୀ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେଣି। ବଡ଼କଥା ହେଉଛି, ଚଳିତବର୍ଷ ଜୁଲାଇ ମାସରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଚିହ୍ନଟ ୧୭୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜାନୁଆରିରୁ ଜୁନ୍ ଭିତରେ ୯୬ଜଣ ଚିହ୍ନଟ ହୋଇଥିବା ବେଳେ କେବଳ ଜୁଲାଇରେ ୮୦ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି।

ବର୍ଷା କାରଣରୁ ପ୍ରତିବର୍ଷ ଜୁଲାଇ ମାସରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୁଅନ୍ତି। ଗତବର୍ଷ ଜୁଲାଇରେ ୨୪୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧-୨୨ ଓ ୨୦୨୨-୨୩ରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣା ଥିଲା। କିନ୍ତୁ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ସଂଖ୍ୟା କମ୍ ରହିଛି। ଜୁଲାଇ ୨୬ ତାରିଖ ସୁଦ୍ଧା ୮୦ଜଣ ଡେଙ୍ଗୁ ରୋଗୀ ଭୁବନେଶ୍ବର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି। ଏହା ଆଶ୍ବସ୍ତିର କଥା। ତଥାପି ଯଦି ଜୁଲାଇ ଓ ଅଗଷ୍ଟ ମାସ ଜଗା ନଯାଏ, ଭୁବନଶ୍ବେର ମହାନଗର ନିଗମ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ବିଭାଗ ଅପ୍ରସ୍ତୁତ ରୁହନ୍ତି, ତେବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଯିବ। ଯାହାର ପ୍ରତିଫଳନ ଚଳିତବର୍ଷର ଜାନୁଆରିରୁ ଜୁନ୍ ମଧ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଓ ଜୁଲାଇରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିରୁ ଆଶଙ୍କା ସୃଷ୍ଟି କରିଛି। ଏଣୁ ଜୁଲାଇ ଓ ଅଗଷ୍ଟ ମାସ ସତର୍କ ରହିବା ସହ କୌଣସି ସ୍ଥାନରେ କିଛି ସମ୍ବେଦନଶୀଳ ଅଞ୍ଚଳ ନଜରକୁ ଆସିଲେ ଜଣାଇବାକୁ ସ୍ବାସ୍ଥ୍ୟବିଭାଗ ପରାମର୍ଶ ଦେଇଛି।

ସ୍ବାସ୍ଥ୍ୟବିଭାଗ ସୂଚନା ମୁତାବକ, ୨୦୨୧-୨୨ ବର୍ଷରେ ସାରା ରାଜ୍ୟରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୭୫୪୮ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ଯେଉଁଥିରେ ଭୁବନେଶ୍ବର ମହାନଗର ନିଗମର ସଂଖ୍ୟା ଥିଲା ସର୍ବାଧିକ। ସାରା ରାଜ୍ୟରୁ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କେବଳ ଭୁବନେଶ୍ବରର ଡେଙ୍ଗୁ ରୋଗୀ ସଂଖ୍ୟା ୫ହଜାରରୁ ଅଧିକ ଥିଲା। ୨୦୨୨-୨୩ରେ ଏହି ସଂଖ୍ୟା କମିଥିଲା। ସାରା ରାଜ୍ୟରେ ୨୦୨୨-୨୩ରେ ୭୦୬୮ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ। ଯେଉଁଥିରୁ ଭୁବନେଶ୍ବର ମହାନଗରରୁ ପ୍ରାୟ ୪୨୫୪ ଡେଙ୍ଗୁରୋଗୀ ଥିଲେ। କିନ୍ତୁ ୨୦୨୩-୨୪ରେ ଏହି ସଂଖ୍ୟା ପ୍ରାୟ ଏକ ଚତୁର୍ଥାଂଶକୁ ଖସି ଆସିଥିଲା। ଭୁବନେଶ୍ବରରୁ ପ୍ରାୟ ୧୨୨୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଏହି ସଂଖ୍ୟା ନଗଣ୍ୟ ଥିଲେ ବି ଜୁଲାଇ ଓ ଅଗଷ୍ଟରେ ପ୍ରତିବର୍ଷ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ଏହି ଦୁଇମାସ ସତର୍କତାର ସହ ଚଳିବାକୁ ପଡ଼ିବ। ବିଶେଷ କରି ଜୁଲାଇ ମାସକୁ ଜଗିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *