ଅଟଳ ଜୀ ଗୋଟିଏ ଦଳର ପ୍ରତିନିଧି ଥିଲେ ସତ କିନ୍ତୁ ଜନତାଙ୍କ ମନର ନେତା ଥିଲେ – ମୁଖ୍ୟମନ୍ତ୍ରୀ

ଅଟଳ ପ୍ରତିଭା ସମ୍ମାନ ୨୦୨୫ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାରସ୍ୱତ ସାଧିକା ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ

ଭୁବନେଶ୍ୱର :- ୨୬/୦୭ – ଯେତେବେଳେ ବି ଅଟଳ ବିହାରୀ ବାଜପେୟୀଙ୍କ କଥା ଆଲୋଚନା ହେବ, ‘ପୋଖରାନ ପରମାଣୁ ପରୀକ୍ଷଣ’ ଏବଂ ‘କାର୍ଗିଲ ବିଜୟ’ କଥା ସର୍ବାଗ୍ରେ ଆସିବ। ଅଟଳଜୀ କେବଳ ଏକ ରାଜନେତା ନୁହଁ, ସେ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି ।



ଅଟଳ ଯୁବଶକ୍ତି ଅନୁଷ୍ଠାନ, ଯୁଗ ପୁରୁଷ ପୂଜ୍ୟ ବାଜପେୟୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ  ଏକ ସ୍ଵତନ୍ତ୍ର ସମାରୋହ ତଥା ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ଏକ ଅନନ୍ୟ ବିଷୟ  ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳ ଯୁବଶକ୍ତି, ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ କହିଥିଲେ ।



ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଟଳଜୀଙ୍କ ଓଡ଼ିଶାପ୍ରତି ପ୍ରଗାଢ ଭଲପାଇବା ଥିଲା। ସେ ଅନେକ ସମୟରେ ଓଡ଼ିଶା ପାଇଁ ରାସ୍ତା, ରେଳପଥ, ଶିକ୍ଷା, ଔଦ୍ୟୋଗିକ ରୂପାନ୍ତରଣ ଆଦି ରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ। ତାଙ୍କ ଯୁଗ ହେଉଛି ସୁଜଳାମ୍ ସୁଫଳାମ୍ ଭାରତର ପ୍ରତୀକ। ସେହି ଯୁଗପୁରୁଷଙ୍କ ସ୍ମରଣରେ ଏହି ସ୍ମରଣିକା ‘ଯୁଗଜନ୍ମା ଅଟଳ’ ଦ୍ୱାରା ଅଟଳଜୀଙ୍କ ଜୀବନ, ଚିନ୍ତାଧାରା, ସଂସ୍କୃତି, ଦୃଷ୍ଟିକୋଣ, ତାଙ୍କ ଦୃଢ଼ ପଦକ୍ଷେପ ଓ ଦେଶପ୍ରେମ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଲେଖାମାନେ ସଂପ୍ରେକ୍ଷଣ କରିବାକୁ ଚେଷ୍ଟା କରାଯାଇଛି। ଏହା କେବଳ ସ୍ମୃତି ନୁହଁ, ଏହା ଏକ ଦିଗଦର୍ଶନ – ଏକ ଅଟଳ ମାର୍ଗ ଯାହା ଆସନ୍ତା ପିଢିଙ୍କୁ ଅନୁପ୍ରେରଣା ଦେବ।



ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ତାଙ୍କ ଜୀବନର ଗାଥା ଭାରତ ରାଜନୈତିକ ଇତିହାସରେ ଅଦ୍ୱିତୀୟ। ସେ ଏକ ଦଳର ପ୍ରତିନିଧି ଥିଲେ, କିନ୍ତୁ ଜନତାଙ୍କ ମନର ନେତା ଥିଲେ। ତାଙ୍କର ଶାସନକାଳ ହେଉ ବା ବିପକ୍ଷ ଜୀବନ – ସେ ସଦା ସତ୍ୟ, ନ୍ୟାୟ ଓ ରାଷ୍ଟ୍ରପ୍ରେମର ମୂର୍ତ୍ତିମାନ ଉଦାହରଣ ଥିଲେ। ସେ ଥିଲେ ଅଜାତଶତ୍ରୁ। ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ଏମିତିକି ତାଙ୍କର ଘୋର ବିରୋଧୀ ବି କହୁଥିଲେ, ‘He is the right man in the wrong party’।



ସେ ପୁଣି କହିଥିଲେ ଅଟଳଜୀଙ୍କ ସଦା ସର୍ବଦା ଯୁବ ଶକ୍ତି ଉପରେ ଅଗାଧ ଆଶା ଓ ବିଶ୍ବାସ ଥିଲା। ଅଟଳଜୀ ମାନୁଥିଲେ – ଯୁବ ପିଢି କେବଳ ଆଗାମୀ ନୁହେଁ, ବରଂ ବର୍ତ୍ତମାନର ନୈତିକ ଶକ୍ତି ଓ ପରିବର୍ତ୍ତନର ନାୟକ। ଆମେ ଯଦି ଅଟଳଜୀଙ୍କ ପଥ ଅନୁସରଣ କରିବାକୁ ଚାହୁଁଛୁ, ତେବେ ଆମେ ଯୁବପିଢି ଭାବେ ନିଜ ଜୀବନକୁ ନୀତି, ସଂଗଠନ, ଶିକ୍ଷା ଓ ଦେଶପ୍ରେମରେ ଗଠିତ କରିବାକୁ ପଡିବ। ଆଜିର ଓଡ଼ିଶା ଓ ଭାରତ ତାଙ୍କ ପଦଚିହ୍ନକୁ ଅନୁସରଣ କରି ଅଟଳ ଭାବନା ଓ ଅଟଳ ନିଷ୍ଠାରେ ଏକ ନୂଆ ଯୁଗ ଗଢ଼ିପାରିବ। ଆମର ସୌଭାଗ୍ୟ ଯେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ବି ଦେଶର ସୁରକ୍ଷା ସହିତ ଦେଶର ବିକାଶକୁ ଗୁରୁତ୍ଵ ଦେଇ ଭାରତକୁ ଏକ ‘ନୂଆ ଭାରତ’ର ସଜ୍ଞା ଦେଇଛନ୍ତି। ‘ଅପରେସନ ସିନ୍ଦୁର’ ଏହାର ଜୀବନ୍ତ ଉଦାହରଣ।



ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଅଟଳ ବିହାରୀ ବାଜପାୟୀଙ୍କ ଚିନ୍ତାଧାରାକୁ ଏକ ସମ୍ପୂର୍ଣ୍ଣ ଅନୁଷ୍ଠାନ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ଅଟଳ ବିହାରୀ ବାଜପାୟୀ ଜୀ କେବଳ ଏକ ନାମ ନୁହେଁ ସେ ହେଉଛନ୍ତି ଏକ ବିଚାରଧାରା।

ଏହି ଅବସରରେ ଓଡ଼ିଶାର ଅନେକ କ୍ଷେତ୍ରରେ ନିଜ ପ୍ରତିଭା ଦ୍ୱାରା ଦେଶ ଓ ରାଜ୍ୟକୁ ଗର୍ବିତ କରୁଥିବା ବ୍ୟକ୍ତିମାନଙ୍କୁ ‘ଅଟଳ ସମ୍ମାନ ୨୦୨୫’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧିକା ଡକ୍ଟର ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ, ସମାଜସେବୀ ତଥା ରାଜନେତା ସମୀର ମହାନ୍ତିଙ୍କୁ ଅଟଳ ମିତ୍ର ରତ୍ନ, ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ଦେବପ୍ରସାଦ ଦାଶଙ୍କୁ ଅଟଳ ସାହିତ୍ୟ ରତ୍ନ, ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଅଟଳ ଖେଳ ରତ୍ନ ସମ୍ମାନ ସମେତ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

 

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ବିକାଶ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *