ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

ସିଏସଆର ଅଧୁନରେ ଛାତ୍ରଛାତ୍ରୀଙ୍କ ଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ :

ଭୁବନେଶ୍ବର,୨୫/୦୭: –ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଶୁକ୍ରବାର ଦିନ ନାଲକୋ (ନ୍ୟାସନାଲ ଆଲୁମିନିୟମ୍‌ କମ୍ପାନୀ ଲିଂ) ପରିଦର୍ଶନ କରିଛନ୍ତି। ଏହି ଅବସରରେ ନାଲକୋର ଚେୟାରମ୍ୟାନ-ତଥା –ମ୍ୟାନେଜିଂ ଡାଇରେକ୍ଟର ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କମ୍ପାନୀର କାର୍ଯ୍ୟଧାରା ସଂପର୍କରେ ଆଲୋଚନା କରି ନାଲକୋ ସିଏସ୍‌ଆର ଅଧୁନରେ ରାଜ୍ୟର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସକ୍ରିୟ ପଦକ୍ଷେପ ନେବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ଝିଅ ଓ ମହିଳାମାନଙ୍କ ମଧ୍ୟରେ କମ ହିମୋଗ୍ଲୋବିନସ୍ତର ଏବଂ ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଦୃଷ୍ଟି ସମସ୍ୟାର ସମାଧାନ ପାଇଁ ଲକ୍ଷଭିଭିକ ପଦକ୍ଷେପର ଆବଶ୍ୟକ‌ତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ ।



ରକ୍ତଦାନ ଅଭିଯାନରେ ମହିଳାମାନଙ୍କ କମ ଅଂଶଗ୍ରହଣ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ସମସ୍ୟାର କାରଣ ଇଚ୍ଛାଗତ ନୁହେଁ ବରଂ ସ୍ବାସ୍ଥ୍ୟଗତ ପ୍ରତିବନ୍ଧକ ଅଟେ। ଅନେକ ଝିଅ ଏବଂ ମହିଳା କମ ହିମୋଗ୍ଲୋବିନସ୍ତର ଯୋଗୁଁ ରକ୍ତଦାନ କରି ପାରିବେ ନାହିଁ । ଏସବୁ ସମସ୍ୟାର ସମ୍ଭାବ୍ୟ ସମାଧାନ ଭାବରେ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଖାଦ୍ୟରେ ଗାଜର ବିଟରୁଟ ରସ ଏବଂ ଗୁଡ଼  ଭଳି ସରଳ ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ସାମିଲ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏପରି ପଦକ୍ଷେପର ପ୍ରଭାବ ଜାଣିବା ପାଇଁ ନିୟମିତ ପରୀକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନାଲକୋ ସିଏସ୍‌ଆର ର ଏକ ଅଂଶ ଭାବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟପାଳ ଅନୁରୋଧ କରିଥିଲେ ।



ସ୍କୁଲ ପିଲାମାନଙ୍କ ମଧ୍ୟରେ ଦୃଷ୍ଟି ସମସ୍ୟା ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକଟ କରି ରାଜ୍ୟପାଳ ସୁଲଭ ସ୍କ୍ରିନିଂ ଉପକରଣର ଉପଯୋଗିତା ଉପରେ ଆଲୋକପାତ କରିଥିଲେ ଏବଂ ଶିକ୍ଷକମାନଙ୍କୁ ଏହି ଉପକରଣର ବ୍ୟବହାର ସଂପର୍କରେ ତାଲିମ ଦିଆଗଲେ ଶ୍ରେଣୀ ଗୃହରେ ପିଲାଙ୍କର ଦୃଷ୍ଟି ଶକ୍ତି ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ ହୋଇପାରିବ ଏବଂ ପିତାମାତାଙ୍କୁ ପିଲାମାନଙ୍କ ପାଇଁ ସମୟୋଚିତ ଚିକିତ୍ସା ସହାୟତା ପାଇବା ପାଇଁ ମାର୍ଗଦର୍ଶନ କରା‌ଯାଇପାରିବ ବୋଲି ରାଜ୍ୟପାଳ କହିଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟର ଉନ୍ନତି ନିମନ୍ତେ ସ‌ହ‌ଯୋଗମୂଳକ ପ୍ରୟାସ ପାଇଁ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ସରକାରୀ ବିଭାଗ ଏବଂ ସିଭିଲ ସୋସାଇଟି ଅନୁଷ୍ଠାନକୁ ସାମିଲ କରାଯାଇ ଏକ ବୈଠକ କରିବାକୁ ଯୋଜନା କରାଯାଇଛି ବୋଲି ରାଜ୍ୟପାଳ କହିଥିଲେ। ନାଲକୋ ର ସ୍ଥିର ଲାଭଦାୟକତା ଏବଂ ଜାତୀୟ ବିକାଶରେ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ନାଲକୋ ତରଫରୁ ସୌର ଶକ୍ତିର ବ୍ୟବହାରକୁ ବିସ୍ତାରିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ଅବସରରେ ରାଜ୍ୟପାଳ ନାଲକୋ ଭବନ ପରିସରରେ “ଏକ ପେଡ୍ ମା’ କେ ନାମ” ଅଭିଯାନ ଅଧିନରେ ଏକ ବୃକ୍ଷ ଚାରା ରୋପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *