ସମ୍ବଲପୁର ଆରଡିସି ଅଫିସ ଆଗରେ ବିକ୍ଷୋଭ  ପ୍ରଦର୍ଶନ କଲା ବିଜେଡି

ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭରେ ସାମିଲ

ସମ୍ବଲପୁର:-୨୧/୦୭: -ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବିଜୁ ଜନତା ଦଳ ତରଫରୁ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରାଯାଇଥିବାବେଳେ ସମ୍ବଲପୁର ଥରେ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ, ବିଜେଡିର ହଜାର ହଜାର କର୍ମୀ ସାମିଲ ହୋଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ I ମୋହନ ସରକାର ହଟାଅ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଦଳ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଏହି ତିନି ଆରଡିସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।



ବିଜେଡି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିବା ସହିତ ନାରୀ, ଛାତ୍ରୀ ଓ ଶିଶୁ ମାନଙ୍କ ବିରୋଧରେ ଅପରାଧ ବୃଦ୍ଧିପାଇଛି ବୋଲି କୁହାଯାଇଛି। ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ବ୍ୟଥୁତ କରିଥିଲା ବେଳେ, ନ୍ୟାୟ ପାଇଁ ଦୀର୍ଘ ୬ ମାସ ଲଢ଼ିବା ପରେ ନ୍ୟାୟ ନପାଇ ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଦେବା ଘଟଣା ସମଗ୍ର ଦେଶରେ ରାଜ୍ୟ ପାଇଁ ଲଜ୍ୟା ଓ ନିନ୍ଦା ଆଣିଛି । ଏଫଏମ କଲେଜ ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ନାବାଳିକାକୁ ଜିଅନ୍ତା ଜାଳିଦେବା ଉଦ୍ୟମ ହୃଦୟ ବିଦାରକ ଘଟଣା ଲୋକଲୋଚନକୁ ଆସିଛି । ଏହାଛଡା ଦୁଷ୍କର୍ମ, ଗଣଦୁଷ୍କର୍ମ ରାଜ୍ୟରେ ଏକ ନିତି ଦିନିଆ ଘଟଣା ହୋଇଛି। ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି।



ଏଫଏମ କଲେଜରେ ଛାତ୍ରୀ ଜଣକ ଦୀର୍ଘ ୬ ମାସ ଧରି ନ୍ୟାୟ ପାଇଁ ସଙ୍ଘର୍ଷ କରି ଆସୁଥିବା ବେଳେ, ସେ କଲେଜ ଅଧ୍ୟକ୍ଷଙ୍କ ସମ୍ମୁଖରେ ତାଙ୍କ ଅଭିଯୋଗ ଜଣାଇବା ବ୍ୟତୀତ ସ୍ଥାନୀୟ ପୋଲିସ, ଏସପି, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, କେହି ତାଙ୍କୁ ନ୍ୟାୟ ପ୍ରଦାନ କରିନଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ, ଜଣେ ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟର ତିନୋଟି ଯାକ ଆରଡିସି ଅଫିସ ସମ୍ମୁଖରେ ଦଳ ତରଫରୁ ପ୍ରଦର୍ଶନ କରାଯାଇଥିଲା ।



ସମ୍ବଲପୁର ଆରଡିସି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭରେ ପ୍ରସନ୍ନ ଆଚାର୍ଯ୍ୟ,  ନିରଞ୍ଜନ ପୂଜାରୀ,  ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ,  ରୋହିତ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ପ୍ରଦୀପ ଅମାତ,  ରଜନୀକାନ୍ତ ସିଂ,  ନଳିନୀକାନ୍ତ ପ୍ରଧାନ,  ବର୍ଷା ସିଂ ବରିହା, ରୋମାଞ୍ଚ ରଞ୍ଜନ ବିଶ୍ଵାଳ,  ରୀତା ସାହୁ, ଅଳକା ମହାନ୍ତି, ସାରଦା ନାୟକ,  ସୁଧୀର ସାମଲ,  ମୁକେଶ ପାଲ,  ମହେଶ ସାହୁ, ଆୟୁବ ଖାନ, ଅଧିରାଜ ପାଣିଗ୍ରାହୀ,  ଲମ୍ବୋଦର ନିଆଲ ପ୍ରମୁଖ ସାମିଲ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *