ସରକାରଙ୍କ ଅକ୍ଷମଣୀୟ ଅବହେଳାରୁ ଚାଲିଗଲା ନିରୀହ ଛାତ୍ରୀର ଜୀବନ
ଦୋଷୀଙ୍କୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ ଜାରି ରହିବ
ଭୁବନେଶ୍ୱର: – ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟରେ କଲେଜ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଯାତନାର ଶିକାର ହୋଇ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଗତକାଲି ଏମ୍ଭରେ ମୃତ୍ୟୁକୁ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ ।
ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଯୁବନେତା ଧୃତି ମାର୍ଥା, ମୁଖପାତ୍ର ଇପ୍ସିତା ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ୍ ପର୍ଯ୍ୟନ୍ତ କେହି ବି ସୌମ୍ୟାଶ୍ରୀଙ୍କ ଗୁହାରି ଶୁଣିଲେନି । ଗୋଟେ ଝିଅର ନିର୍ଯାତନାକୁ ଅଣଦେଖା କରି ଉତ୍ସବ ମନାଇବାରେ ବ୍ୟସ୍ତ ରହିଲେ ସରକାର । ମୃତ୍ୟୁ ପରେ ପୋଲିସ୍ ମାଧ୍ୟମରେ ମରଶରୀରକୁ ରାତିଅଧିଆ ପୁରୀ ନେଇ ଦାହ କରିବାକୁ ଯୋଜନା କରିଥିଲେ ସରକାର । ସୌମ୍ୟାଶ୍ରୀଙ୍କ ପରିବାର ଏବଂ ଯୁବ ଓ ଛାତ୍ର ବିଜେଡିର ତୀବ୍ର ପ୍ରତିବାଦ ଫଳରେ ସରକାର ବାଧ୍ଯ ହୋଇ ତାଙ୍କ ନିଜ ଗାଁ ପଳାସିଆକୁ ମରଶରୀର ନେଇଥିଲେ।
ବିଧାୟକ ଶ୍ରୀ ରାୟ ଓ ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ ଯେ, ସୌମ୍ୟାଶ୍ରୀଙ୍କ ପ୍ରତି ହୋଇଥିବା ଅବିଚାର ବିରୋଧରେ ଆଜିଠାରୁ ରାଜ୍ୟବ୍ୟାପୀ ଯୁବ ଓ ଛାତ୍ର ବିଜେଡି ରାଜରାସ୍ତାକୁ ଓହ୍ଲାଇଲା । ଏହି ଆନ୍ଦୋଳନ ତୀବ୍ରତର ହେବ ଓ ଯେଉଁମାନେ ସୌମ୍ୟାଶ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି, ସେମାନେ ଇସ୍ତଫା ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ । ଏଥିସହିତ ଛାତ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ରାଜ୍ୟର ଯୁବ ଓ ଛାତ୍ର ସମାଜ ଏହି ଦୁର୍ବାର ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ସୌମ୍ୟାଶ୍ରୀ ଏବିଭିପିର ଜଣେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ସେହି ସଂଗଠନର ଚକ୍ରାନ୍ତ ଲାଗି ତାଙ୍କୁ ଆତ୍ମାହୂତି ଦେବାକୁ ପଡ଼ିଲା । ସମଗ୍ର ଛାତ୍ର ସମାଜ ନିକଟରେ ଆଜି ଏବିଭିପିର ମୁଖା ଖୋଲିଯାଇଛି । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ଏହି ଘଟଣାରେ ଅବଗତ ଥାଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରିନଥିବାରୁ, ଏହାର ତଦନ୍ତ ଦାୟିତ୍ଵ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଦିଆଯାଉ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now