ଜୁନ୍ ୨୫ ତାରିଖରେ ବିଜେଡି ଯୁବ ଛାତ୍ର ସଂଗଠନ ତରଫରୁ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ

ସୁବତୀ ମାନଙ୍କ ଉପରେ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଘଟଣ ରେ ଅହେତୁକ ବୃଦ୍ଧି

ରାଜ୍ୟରେ ପ୍ରତିଦିନ ୧୫ ଯୁବତୀ ଦୁଷ୍କର୍ମର ଶିକାର

ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜନ, ପିକେଟିଂ, କଳାବ୍ୟାଚ ପିନ୍ଧିବା ସହିତ କୁଶ ପୁତ୍ତଳିକା ଦାହ କରିବେ

ଭୁବନେଶ୍ବର : (ଶୁଭ ଖବର) ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି  ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଜୁନ୍ ୨୫ ତାରିଖ ଦିନ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ଡାକରା ଦେଇଛି।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ  ସମ୍ମିଳନୀରେ, ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମକେଶ ରାୟ ଓ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ  ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଜୁନ୍ ୨୫ ତାରିଖରେ ବିଜେଡି ତରଫରୁ ହେବାକୁ ଥିବା ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ।

ଶ୍ରୀ  ରାୟ କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ, ରାଜ୍ୟର ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ଯୁବତୀ ମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା
ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ହେଉଛି। ଗୋପାଳପୁର ଭଳି ଏକ ପର୍ଯ୍ୟଟନ ସ୍ଥଳରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସାମ୍ନାରେ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଏକ ଦୁଖଦ ଘଟଣା ଘଟିଥିଲା। ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫  ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି। ରାଜ୍ୟରେ ଦିନକୁ ଦିନ ଏଭଳି ଘଟଣା ବୃଦ୍ଧି ପାଉଥିବାରୁ,ଯୁବତୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦୁଃଖ ଓ ପରିତାପର ବିଷୟ, ଏହିଭଳି ସମ୍ବେଦନଶୀଳ
ପ୍ରସଙ୍ଗରେ, ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖୁବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି  ବିପର୍ଯ୍ୟସ୍ତ ହୋଇଥିବା ବେଳେ ଓ ରାଜ୍ୟର ୧୧ଟି ଜିଲ୍ଲା ହଇଜା ଓ ଡାଇରିଆରେ କଲବଲ ହେଉଥିବା ବେଳେ ରାଜ୍ୟ ବିଜେପି ସରକାର ଏକ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଛନ୍ତି। ରାଜ୍ୟ ସରକାରଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ, ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଆୟୋଜିତ ହେବ।

ଶ୍ରୀ  ତ୍ରିପାଠୀ କହିଥିଲେ, ଆସନ୍ତା ଜୁନ୍ ୨୫ ତାରିଖରେ ଏହି ରାଜ୍ୟବ୍ୟାପି ଛାତ୍ର ଆନ୍ଦୋଳନ କାର୍ଯ୍ୟକ୍ରମ ମାଧ୍ୟମରେ, ଶ୍ରେଣୀ ବର୍ଜନ, କଳାବ୍ୟାଚ ପରିଧାନ, ପିକେଟିଂ, କୁଶ କୁଶ ପୁତ୍ତଳିକା ଦାହ ଇତ୍ଯାଦି କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ସମସ୍ତ କଲେଜ ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *