ଗୁରୁଜଙ୍ଗ ପ୍ରିମିୟର ଲିଗ୍‌ର ଧମାକାଦାର ଶୁଭାରମ୍ଭ


ଉଦ୍‌ଘାଟନୀ ମ୍ୟାଚ୍‌ରେ ୩୫ ରନ୍‌ରେ ଯଦୁପୁର ବ୍ଲାଷ୍ଟର୍ସ ବିଜୟୀ


ଖୋର୍ଦ୍ଧା, ୮/୧୦: ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡ଼ିଆରେ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ୍‌ ଆନୁକୂଲ୍ୟରେ ଗୁରୁଜଙ୍ଗ ପ୍ରିମିୟର ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଉତ୍ସାହ ଓ ରୋମାଞ୍ଚ ମଧ୍ୟରେ ଅନୁଷ୍ଠିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଯଦୁପୁର ବ୍ଲାଷ୍ଟର୍ସ ୩୫ ରନ୍‌ରେ ଟମାଣ୍ଡୋର ବାଲୁଙ୍କେଶ୍ୱର ୱାରିୟର୍ସକୁ ପରାସ୍ତ କରି ବିଜୟୀ ହୋଇଛି।


ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଯଦୁପୁର ବ୍ଲାଷ୍ଟର୍ସ ସମସ୍ତ ୱିକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏମ୍‌.ଡି. ତବରେଜ ସର୍ବାଧିକ ୩୩ ରନ୍‌ କରିଥିଲେ। ଟମାଣ୍ଡୋ ଦଳର ସିପୁନ ପଟ୍ଟନାୟକ ୩ଟି ୱିକେଟ୍‌ ହାସଲ କରିଥିଲେ। ଜବାବରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଲୁଙ୍କେଶ୍ୱର ୱାରିୟର୍ସ ସୁଶାନ୍ତ ପରିଡ଼ାଙ୍କ ୩୨ ରନ୍‌ ସତ୍ତ୍ୱେ ୧୧୯ ରନ୍‌ରେ ସୀମିତ ରହିଥିଲା। ଫଳରେ ଯଦୁପୁର ବ୍ଲାଷ୍ଟର୍ସ ୩୫ ରନ୍‌ରେ ବିଜୟୀ ହୋଇଥିଲା।


ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ। ଏଥିସହ କାର୍ଯ୍ୟକାରୀ ସଭାପତି କ୍ୟାପଟେନ୍‌ ମନ୍ମଥ ରାଉତରାୟ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂସାମନ୍ତ, ଖୋର୍ଦ୍ଧା ଛାତ୍ର ବିଜେଡି ସଭାପତି ଅମିତ କୁମାର ଦାସ, ୟୁଟ୍ୟୁବର୍‌ ପ୍ରିୟଙ୍କା ଶତପଥି, ସ୍ୱରୂପ ମିଶ୍ର, ମଳୟେଶ ପ୍ରଧାନ, ବଦ୍ରିନାରାୟଣ ସାହୁ, ରବି ନାରାୟଣ ଜେନା, ବିକାଶ ଜେନା, ରାଜେଶ ପ୍ରଧାନ, ଏମ୍‌.ଡି. ତବରେଜ, ସୁକାନ୍ତ ପାତ୍ର ଓ କାଜଲ ବଳିୟାରସିଂ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।


ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଏମ୍‌.ଡି. ତବରେଜଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା। ତାଙ୍କୁ ବରିଷ୍ଠ ଖେଳାଳି ରବିନାରାୟଣ ରାଉତରାୟ ଓ ରଞ୍ଜନ ନନ୍ଦ ପୁରସ୍କୃତ କରିଥିଲେ।


ଆଜିର ମ୍ୟାଚ୍‌କୁ ସାନୁଜ ବିଶ୍ୱାଳ, ଜୟନ୍ତ ମାର୍ଥା, ପ୍ରକାଶ କୁମାର ସାହୁ ଓ ସୂର୍ଯ୍ୟକାନ୍ତ ଗୁମାନସିଂ ପରିଚାଳନା କରିଥିଲେ। ରାଜେନ୍ଦ୍ର କୁମାର ବେହେରା ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଓ ସୁଜିତ ପରିଡ଼ା ମ୍ୟାଚ୍‌ର ସଂଯୋଜନା କରିଥିଲେ।


ଗୁରୁଜଙ୍ଗ ପ୍ରିମିୟର ଲିଗ୍‌ର ଏହି ଉଦ୍‌ଘାଟନୀ ମ୍ୟାଚ୍‌କୁ ନେଇ ଖେଳାଳି, କ୍ରିକେଟ୍‌ପ୍ରେମୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *